ରାସ୍ତା ରେ ପଡ଼ିଥିବା ଟଙ୍କା ର ମାଲିକାଣି ହେଉଛନ୍ତି ସାଂସଦ ଅପରାଜିତା!

ରାଜଧାନୀ ରାଜରାସ୍ତାରେ ୩ଟି ୫୦୦ ଟଙ୍କିଆ ବଣ୍ଡଲ ପଡ଼ିବା ଘଟଣାର ସତ୍ୟତା ପଦାକୁ ଆସିଛି । ଉକ୍ତ ୩ ବିଡ଼ା ଅର୍ଥାତ୍‌ ଦେଢ଼ ଲକ୍ଷ ଟଙ୍କା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ବୋଲି କ୍ୟାପିଟାଲ୍‌ ଥାନା ପୁଲିସ୍‌ ସ୍ପଷ୍ଟ କରିଛି ।

ଶ୍ରୀମତୀ ଷଡ଼ଙ୍ଗୀ ଥାନାକୁ ନଆସି କମିଶନରେଟ୍‌ ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କୁ ଫୋନ୍‌ କରି ଏହା ଜଣାଇଛନ୍ତି । ନିଜ ଖାସ୍‌ ସହଯୋଗୀ ଶଶାଙ୍କ ଶେଖରଙ୍କୁ ପଠାଇ ଥାନାରୁ ଟଙ୍କା ନେଇଛନ୍ତି । ତେବେ ଶଶାଙ୍କ ଏତେ ଟଙ୍କା କେଉଁଠୁ ଆଣୁଥିଲେ ସେ ବିଷୟରେ ପୁଲିସ୍‌ କିଛି ସ୍ପଷ୍ଟ କରିନାହିଁ ।

ଅପରାଜିତା ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଥିବା ବେଳେ ତାଙ୍କ ପାଖରେ କାମ କରୁଥିଲେ ଶଶାଙ୍କ । ଅପରାଜିତାଙ୍କ ସେ ଖାସ୍‌ ଅନୁଗତ । ଅବସର ପରେ ଶଶାଙ୍କ ଅପରାଜିତାଙ୍କ ପାଖରେ ପହଞ୍ଚି ଥିଲେ । ତାଙ୍କର ଆର୍ଥିକ କାରବାର କଥା ବୁଝୁଥିଲେ । କାହାକୁ କେତେ ଟଙ୍କା ଦିଆଯିବ, କାହାଠାରୁ ଅଣାଯିବ, ତାହାର ହିସାବ ରଖୁଥିଲେ ।

ମଙ୍ଗଳବାର ଅପରାହ୍ଣ ପ୍ରାୟ ସାଢ଼େ ୩ଟାବେଳେ ଗଙ୍ଗନଗର ଛକରେ ଶଶାଙ୍କ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ବାଇକ୍‌ ଧକ୍କା ହୋଇଥିଲା । ଫଳରେ ଶଶାଙ୍କ ବାଇକ୍‌ ହ୍ୟାଣ୍ଡେଲରେ ଟଙ୍ଗା ହୋଇଥିବା ଟଙ୍କା ଭର୍ତ୍ତି ବ୍ୟାଗ୍‌ରୁ ୩ ବିଡ଼ା ୫୦୦ ଟଙ୍କିଆ ବଣ୍ଡଲ୍‌ ଗଳି ପଡ଼ିଥିଲା । ତଳେ ପଡ଼ିଥିବା ଟଙ୍କା ବଣ୍ଡଲ ନ ଉଠାଇ ଶଶାଙ୍କ ତରବର ହୋଇ ବାଇକ୍‌ ନେଇ ଦ୍ରୁତଗତିରେ ପଳାଇଥିଲେ ।

ଟଙ୍କା ବିଡ଼ା ରାସ୍ତାରେ ପଡ଼ିଥିବା ଦେଖି ଲୋକଙ୍କ ଭିଡ଼ ଜମିଥିଲା । ହେଲେ କେହି ସାହସ କରି ଟଙ୍କା ଉଠାଇ ନଥିଲେ । ଜଣେ ଲୋକ ପୁଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି ଜଣାଇଥିଲେ । କିଛି ସମୟ ମଧ୍ୟରେ ସେଠାରେ କ୍ୟାପିଟାଲ୍‌ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଟଙ୍କାଙ୍କୁ ଜବତ କରିଥିଲା । ଏହି ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟି ଥିଲା।

ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହା ତାଙ୍କର ଟଙ୍କା ବୋଲି କମିଶନରେଟ୍‌ ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କୁ ଫୋନ୍‌ କରିଥିଲେ । ଟଙ୍କା ଶଶାଙ୍କଙ୍କୁ କହିଥିଲେ । ଏହାପରେ ଶଶାଙ୍କ କ୍ୟାପିଟାଲ୍‌ ଥାନାକୁ ଯାଇ ଉକ୍ତ ଟଙ୍କା ଆଣିଥିଲେ । ହେଲେ ଟଙ୍କା କେଉଁଠୁ ଆଣିଥିଲେ? ୩ଟି ବଣ୍ଡଲ ଖସିପଡ଼ିବା ପରେ କ’ଣ ପାଇଁ ଉଠାଇ ନଥିଲେ ସେ ବିଷୟରେ ଶଶାଙ୍କଙ୍କୁ ପଚାରିଥିଲା ପୁଲିସ । କିନ୍ତୁ ସେ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ। ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published.