ପରଲୋକରେ ବର୍ଷିୟାନ ଅଭିନେତା ରବି ମିଶ୍ର । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସେ ବହୁ ଚଳଚ୍ଚିତ୍ର, ଟେଲି ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ଧାରାବାହିକ ‘ଗୋପାଳ ରହସ୍ୟ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ଟେଲି ସିରିଏଲ ‘ଗୋପାଳ ରହସ୍ୟ’ ପାଇଁ ବହୁ ପ୍ରଶଂସା ସାଉଁଟିଥିଲେ । ‘ହେ ପ୍ରଭୁ’ ସିରିଏଲରେ ସେ କାମ କରୁଥିଲେ ରବି । ଏହି ସିରିୟଲରେ ସେ ଅଭିନେତ୍ରୀ ଳିପ୍ସା ମିଶ୍ରଙ୍କ ଜେଜେ ଭୂମିକାରେ ଅଭିନୟ କରୁଥିଲେ। ସେହିପରି ଓଡିଆ ଫିଲ୍ମ ସୌଭାଗ୍ୟବତୀ ତାଙ୍କର ଅଭିନୟ ପାଇଁ ଖୁବ୍ ପ୍ରଶଂସା ସାଉଁଟିଥିଲେ । ସହ କଳାକାର ମାନେ କହିଛନ୍ତି ହାର୍ଟ ଅଟାକ ର ଅଭିନୟ କରିବା ପରେ ସତସତିକା ହାର୍ଟ ଅଟାକ ହୋଇଥିଲା ତାଙ୍କୁ।ତେବେ ରବି ମିଶ୍ରଙ୍କ ପରଲୋକରେ ଓଡିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।

ବର୍ଷିଆନ ଅଭିନେତା ରବି ମିଶ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକଟ କରିଛନ୍ତି । ଏକ ଟ୍ବିଟ କରି ସେ ଲେଖିଛନ୍ତି, “ବିଶିଷ୍ଟ ଅଭିନେତା ରବି ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜ ନିଖୁଣ ଅଭିନୟ ଦ୍ୱାରା ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ଓ ଧାରାବାହିକରେ ସେ ଛାଡ଼ି ଯାଇଥିବା ଛାପ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଆମର ସମବେଦନା ଜଣାଉଛୁ lଗତ କାଲି ସୁଟିଂ କରୁଥିବାବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେବେ ଏହା ଗ୍ୟାସ ଜନିତ ବୋଲି ଭାବି ସେ ସୁଟିଂ ଶେଷ କରିଥିଲେ । ଗତ ରାତିରେ ତାଙ୍କର ଯନ୍ତ୍ରଣା ବଢିବାପରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା ।